ସୋମନାଥ ବ୍ରତ
🌺🔱#ସୋମନାଥ_ବ୍ରତ 🔱🌺
ଏକ ଦିନରେ କୈଳାସ ଶିଖରେ ଈଶ୍ୱର ପାର୍ବତୀଙ୍କୁ ସାଙ୍ଗରେ ଘେନି ଆନନ୍ଦରେ ବିହାର କରୁଛନ୍ତି। ସେଠାରେ ତେତିଶି କୋଟି ଦେବତା ବସିଛନ୍ତି। ଏମନ୍ତ ସମୟରେ ପାର୍ବତୀ ପଚାରିଲେ, ହେ ସ୍ୱାମୀ କେଉଁ ବ୍ରତ କଲେ ତୁମ୍ଭ ମନରେ ସନ୍ତୋଷ ହୁଅଇ। ମତେ କହିବା ହୁଅନ୍ତୁ। ମୁଁ ସେ ବ୍ରତ କରିବି। ଏହାଶୁଣି ଈଶ୍ୱର ହସି ହସି କହିଲେ, ହେ ଦେବୀ ପାର୍ବତୀ ! କହୁଅଛି ଶୁଣ । ଆମ୍ଭର ସୋମନାଥ ବ୍ରତ ବୋଲି ଗୋଟିଏ ପ୍ରଧାନ ବ୍ରତ ଅଛି । ତୁମ୍ଭେ ସେ ବ୍ରତ କର । ପାର୍ବତୀ ପଚାରିଲେ , ସେ ବ୍ରତ କଲେ କି ଫଳ ହୁଅଇ ? ହେ ପ୍ରିୟେ , କହୁଅଛି ଶୁଣ । ପୂର୍ବକାଳରେ ମାଳବ ଦେଶରେ ବୀରବିକ୍ରମ ପାଟଳି ବୋଲି ଜଣେ ରାଜା ଥାନ୍ତି । ସେହି ରାଜ୍ୟକୁ ଆମ୍ଭର ଷାଠିଏ ଜଣ କୋପତିମାନେ ଗଲେ । ସେହି ରାଜ୍ୟର ଲୋକମାନେ ସୋମନାଥ ବ୍ରତ କରୁଅଛନ୍ତି । କୋପତୀମାନେ ସେ ନଗର ଦେଖୀ୍ ବଡ ସନ୍ତୋଷ ହେଲେ । କୋପତୀମାନେ ରାଜସିଂହ ଦ୍ଵାରେ ପ୍ରବେଶ ହେଲେ । ଦ୍ଵାରପାଳକୁ କହିଲେ – ଆମ୍ଭେ ଯାଇ ରାଜାଙ୍କୁ ଭେଟିବୁ । ଦ୍ଵାରପାଳ ଯାଇ ରାଜାଙ୍କୁ କହିଲା , ଶ୍ରୀ ସୋମନାଥଙ୍କର ଷାଠିଏ ଜଣ କୋପତୀ ଆସିଅଛନ୍ତି , ତୁମ୍ଭଙ୍କୁ ସୋମନାଥଙ୍କର ପ୍ରସାଦ ଦେବେ । ଦ୍ଵାରପାଳ ବଚନ ଶୁଣି ରାଜା ବଡ ସନ୍ତୋଷ ହେଲେ । ରାଜା କହିଲେ , ତାଙ୍କୁ ଘେନିଆସ । ଦ୍ଵାରପାଳ ଯାଇ କହିଲା , ହେ କୋପତୀମାନେ ତୁମ୍ଭେମାନେ ଭିତରକୁ ଆସ । ଏ ବଚନ ଶୁଣି କୋପତୀମାନେ , ରାଜାଙ୍କ ଛାମୁକୁ ଗଲେ । ରାଜା କୋପତୀମାନଙ୍କୁ ଅର୍ଘ୍ୟ ଦେଇ ପୂଜା କଲେ । କୋପତୀମାନେ ସନ୍ତୋଷ ହୋଇ ଶ୍ରୀ ସୋମନାଥଙ୍କ ବ୍ରତ ବିଭୂତି ପ୍ରସାଦ ଦେଲେ । ରାଜା କୋପତୀମାନଙ୍କୁ ପଚାରିଲେ , ହେ କୋପତୀମାନେ କାହିଁକି ଏଠାକୁ ଆସିବା ହେଲେ , ଏହା କହିବା ହେଉ । କୋପତୀମାନେ କହିଲେ , ଆମ୍ଭେ ପଶ୍ଚିମ ସୋମନାଥଙ୍କ କୋପତୀ , ତୁମ୍ଭର କୀର୍ତ୍ତି ଶୁଣି ଏଠାକୁ ଅଇଲୁ । ଏହା ଶୁଣି ରାଜା ବଡ ସନ୍ତୋଷ ହେଲେ । ହେ କୋପତୀମାନେ , ଆଜି ମୋହର ବଡ ଭାଗ୍ୟ , ଆଜି ମୋହର ପୁରରେ ରହି ଭୋଜନ କରିବ । ଏ ଉତ୍ତାରୁ ରାଜା ରାନ୍ଧୁଣିଆମାନଙ୍କୁ ଡକାଇ କହିଲେ , ହେ ସୂପକାରମାନେ ସୋମନାଥଙ୍କ ଠାରୁ ଷାଠିଏ ଜଣେ କୋପତୀ ଆସିଛନ୍ତି , ସେମାନେ ଭୋଜନ କରିବେ । ଏହାଶୁଣି ସୂପକାରମାନେ ଯାଇ ଷଡ଼ରସ ପାକ ନିର୍ଭା କଲେ । ରାଜାଙ୍କୁ ଯାଇ ପଚାରିଲେ – ଭୋ ଦେବ , ପାକ ନିର୍ଭା ହେଲା । ରାଜା କୋପତୀମାନଙ୍କୁ କହିଲେ , ବେଗେ ସ୍ନାନ କରି ଆସ । ବହୁତ ଉଛୁର ହେଲାଣି । ଏହାଶୁଣି କୋପତୀମାନେ ସ୍ନାନକରି ନିତ୍ୟକର୍ମ ସାରି ଭୋଜନ ମନ୍ଦିରେ ପ୍ରବେଶ ହେଲେ । ରାଜା କୋପତୀମାନଙ୍କୁ ଆସନ ଦେଇ ବସାଇଲେ । ସୁବର୍ଣ୍ଣ ଝରିରେ ଜଳ ଦେଲେ । ଅନ୍ନ ପରଷିଲେ ନାନାଦି ବ୍ୟଞ୍ଜନ ଦେଲେ , ଘୃତ ଦେଲେ , ଖିରି ପିଠା ଦେଲେ , ଲଡୁ ଛେନା ଦେଲେ । କୋପତୀମାନେ ଭୋଜନ କଲେ । କୋପତୀମାନେ କହିଲେ ଆମ୍ଭେ ସନ୍ତୋଷ ହେଲୁ । ହେ ରାଜା ତୁମ୍ଭେ କି ବର ମାଗୁଅଛ ମାଗ । ରାଜା କହିଲେ ମୁଁ କି ବର ମାଗିବି ? ତୁମ୍ଭେ ଯାଚିକରି ଦିଅ । କୋପତୀମାନେ କହିଲେ ଆମ୍ଭର ସୋମନାଥଙ୍କୁ ବ୍ରତ କର । ପୁତ୍ର ପୁତ୍ରୀ ଅନେକ ସମ୍ପଦ ପାଇବ । ରାଜା ହରଷ ହୋଇ ବୋଇଲେ , ହେ କୋପତୀମାନେ ସେ ବ୍ରତର ବିଧାନ ଆମ୍ଭଙ୍କୁ କହିବା ହେଉ । କୋପତୀମାନେ ବୋଇଲେ ହେ ରାଜା ! ଶୁଣ ଆଶ୍ୱିନ ମାସ ଶୁକ୍ଳ ଦଶମୀ ଦିନ ଏ ବ୍ରତ କରିବ । ପ୍ରାତଃକାଳୁ ସ୍ନାନ କରିଣ ଦଶମେଞ୍ଚା ହଳଦୀ କରିବ , ଦଶ ମେଞ୍ଚା ଗନ୍ଧ କରିବ । ଦଶଖଣ୍ଡ ଦାନ୍ତକାଠି କରିବ , ଦଶଥର ଦାନ୍ତ ଘଷିବ , ଗନ୍ଧ ହଳଦୀ ଲଗାଇ ଦଶଥର ସ୍ନାନ କରିବ , ଶୁକ୍ଳ ବସ୍ତ୍ର ପିନ୍ଧିବ , ଦଶ ବର୍ଣ୍ଣର ଫୁଲ କରିବ । ଦଶ ବର୍ଣ୍ଣର ଫଳ କରିବ । ଦଶଗୋଟି ଶୁକ୍ଳ ଉଆଚାଉଳ କରିବ । ଦଶଖିଅ ସୁତା କରିବ , ବ୍ରତରେ ଦଶଗଣ୍ଠି ପକାଇବ । ସ୍ଫଟିକ ଲିଙ୍ଗ କରିବ । ନହେଲେ ମୃତ୍ତିକାରେ ଲିଙ୍ଗ ତିଆରି କରିବ । ରୁଦ୍ରମଣ୍ଡଳ କାଟି ଲିଙ୍ଗ ସ୍ଥାପନ କରିବ । ଦଶଗୋଟି କଖାରୁ ଫୁଲରେ ପୂଜା କରିବ । ବ୍ରାହ୍ମଣଙ୍କ ଠାରୁ ସୋମନାଥ ବ୍ରତକଥା ଶୁଣିବ । କଥା ଶୁଣିସାରି ଦୁର୍ବାକ୍ଷତ ଚଢ଼ାଇବ , ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବ । ଏହି ବିଧି ଅନୁସାରେ ବ୍ରତ କଲେ ମନବାଞ୍ଛିତ ଫଳ ପାଇବ । ରାଜା ଏ ବଚନ ଶୁଣି କହିଲେ – ହେ କୋପତୀମାନେ ଏ ବ୍ରତ ମୋ ମନକୁ ପାଇଲା ନାହିଁ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ତ୍ରିଲୋକର ରାଜା ଭଲ ବ୍ରତ କଲା ବୋଲି ଲୋକେ ଉପହାସ କରିବେ । ରାଜାଙ୍କ ବଚନ ଶୁଣି କୋପତୀମାନେ କହିଲେ – ହେ ରାଜା ! ଏ କଥା ଶୁଣି ଆମ୍ଭ ମନରେ କଷ୍ଟ ହେଲା । ତୁମେ ସୋମନାଥ ବ୍ରତ ନିନ୍ଦା କଲ । ଏଣୁକରି ତୁମ୍ଭ ଦେହରେ କୁଷ୍ଠବ୍ୟାଧି ହେବ । କୋପତୀମାନେ ଏପରି ଶାପ ଦେଇ ବାହାରିଗଲେ । ସେହିକ୍ଷଣି ରାଜା ଦେହରେ କୃଷ୍ଠବ୍ୟାଧି ହେଲା । କର ଚରଣ ଖଣ୍ଡିଆ ହେଲା । ରାଜା ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ଭାରିଯାକୁ ପୂର୍ବ ବୃତ୍ତାନ୍ତ ସବୁ କହିବାରୁ ରାଣୀ କହିଲେ , ତୁମ୍ଭେ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବା ସକାଶେ ଯାଅ । ତୁମ୍ଭର ଏହି ରୋଗ ଭଲ ହେବ । ରାଜା ଏହାଶୁଣି ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଉଦ୍ଯୋଗ କଲେ । ରାଣୀଙ୍କୁ କହିଲେ , ଆମ୍ଭେ ଶ୍ରୀ ସୋମନାଥଙ୍କୁ ଦର୍ଶନ କରି ଯାଉଅଛୁ । ଆମ୍ଭ ରୋଗ ଭଲ ହେବ । ଏହାଶୁଣି ରାଣୀ କହିଲେ , ମୁଁ ପତିବ୍ରତା କାହାକୁ ସେବିବି ? । ରାଜା କହିଲେ ଆମ୍ଭର କଠଉକୁ ପୂଜା କରିବ । ଏହିପରି ରାଜା କହିବାରୁ ରାଣୀ କଠଉ ପୂଜା କରି ରହିଲେ । ରାଜା ସମସ୍ତଙ୍କୁ ପ୍ରବୋଧନା ଦେଇ ନହରରୁ ବାହାରି ଗଲେ । ସେ ପଶ୍ଚିମ ସୋମନାଥଙ୍କୁ ଭେଟିଲେ । ଶ୍ରୀ ସୋମନାଥଙ୍କୁ ସ୍ତୁତିକରି ସ୍ତବ ପାଠକଲେ । ବୀର ବିକ୍ରମ ପାଟଳି ରାଜାଙ୍କର ଆତୁର ସହି ନପାରି ସେ କୋପତୀମାନେ ଶ୍ରୀ ସୋମନାଥଙ୍କୁ କହିଲେ , ହେ ପ୍ରଭୁ ! ବୀରବିକ୍ରମ ରାଜା ରାଜ୍ୟ ଛାଡ଼ି ତୁମ୍ଭଙ୍କୁ ଦର୍ଶନ କରିବାକୁ ଆସିଅଛି । ଶ୍ରୀ ସୋମନାଥ କହିଲେ , ତାକୁ ଛାଡ଼ି ନଦେଇ ଦ୍ଵାରେ ରଖ । କୋପତୀମାନେ ଯାଇ କହିଲେ ହେ ରାଜା ! ପ୍ରଭୁଙ୍କର ଆଜ୍ଞା ନାହିଁ । ତାଙ୍କ ଆଜ୍ଞା ହେଲେ ଆସିବ , ଏହି ମଣ୍ଡପରେ ଥାଅ । ତେଣେ ରାଜ୍ୟ ହତଲକ୍ଷ୍ମୀ ହେଲା । ରାଜାର ପୁଅ ଭିକ୍ଷା ମାଗି ଆଣିଲେ ରାଣୀ ରନ୍ଧା କରନ୍ତି । ଏହିରୂପେ କେତେଦିନ ଗଲା । ଦିନେ ରାଜାପୁଅ ଗୋଟିଏ ଗ୍ରାମକୁ ଭିକ୍ଷା ମାଗି ଯାଇଥିଲା । ସେ ଗ୍ରାମର ପାତ୍ର ମନ୍ତ୍ରୀ ପଚାରିଲେ - ତୁମ୍ଭେ ତ ବିକ୍ରମ ରାଜାଙ୍କର ପୁଅ , କାହିଁକି ଭିକ୍ଷା କରୁଅଛ ? ଏହାଶୁଣି ରାଜକୁମାର ତାଙ୍କୁ କହିଲା – ଆମ୍ଭ ରାଜା ସୋମନାଥଙ୍କ ବ୍ରତ ନିନ୍ଦା କରିବାରୁ ତାଙ୍କ ହାତ ଗୋଡ ଖଣ୍ଡିଆ ହୋଇ ହତଲକ୍ଷ୍ମୀ ହେଲେ । ତେଣୁ ମୁଁ ଭିକ୍ଷା କରୁଛି । ପାତ୍ରମନ୍ତ୍ରୀମାନେ ରାଣୀଙ୍କୁ ରାଜ୍ୟରୁ ଘଉଡ଼ି ଦେଲେ । ସେ ରାଜ୍ୟରେ ପାତ୍ର ରାଜା ହେଲା । ରାଣୀ ଦୁଇଗୋଟି ପୋଇଲି ଧରି ବ୍ରାହ୍ମଣ ଶାସନରେ ରହିଲେ । ଏକ ଦିନରେ ଶ୍ରୀ ସୋମନାଥଙ୍କ କୋପତୀମାନେ ପୁଣି ସେହି ବ୍ରାହ୍ମଣ ଶାସନକୁ ଗଲେ । ପୁରାଣ ପୁରୁଷୋତ୍ତମ। ବ୍ରାହ୍ମଣୀମାନେ ଶ୍ରୀ ସୋମନାଥଙ୍କ କୋପତୀମାନଙ୍କୁ ଦେଖି ପୂଜା କଲେ । କୋପତୀମାନେ କହିଲେ – ତୁମ୍ଭେମାନେ ଶ୍ରୀ ସୋମନାଥ ବ୍ରତ କର । ଏହି ବ୍ରତ କଲେ ଧନ , ଜନ ଗୋପଲକ୍ଷ୍ମୀ ପାଇବ । ଏହାଶୁଣି ବ୍ରାହ୍ମଣୀମାନେ କହିଲେ , ସେ ବ୍ରତ କିପରି କୁହନ୍ତୁ । କୋପତୀମାନେ କହିଲେ , ସେ ବ୍ରତର ବିଧାନ ଶୁଣ । ଦଶ ବର୍ଣ୍ଣର ଫୁଲ କରିବ , ଦଶ ବର୍ଣ୍ଣର ଫଳ କରିବ , ଦୁବ ଦଶନାଡ କରିବ , ଦଶଗୋଟି ଶୁକ୍ଳ ଉଆଚାଉଳ କରିବ , ଦଶଖିଅ ସୂତା କରିବ , ବ୍ରତରେ ଦଶଗଣ୍ଠି ପକାଇବ , ଦଶବର୍ଣ୍ଣର ପୁରଦେଇ ଦଶଟି ପିଠା କରିବ , ରୁଦ୍ରମଣ୍ଡଳ କାଟିବ , ଶ୍ରୀ ସୋମନାଥଙ୍କୁ ସ୍ଥାପିବ , ଫୁଲଚନ୍ଦନ ଧୂପଦୀପ ଦେବ , ଅର୍ଘ୍ୟ ଦେବ , ଦଶବର୍ଣ୍ଣର ପୂରଦେଇ ପିଠାକରି ସୋମନାଥଙ୍କୁ ପୂଜା କରିବ ଓ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବ । ଏହା ଶୁଣି ବ୍ରାହ୍ମଣୀମାନେ ହରଷ ହୋଇ ବ୍ରତ କଲେ । ଏମନ୍ତ ସମୟରେ ରାଣୀଙ୍କ ପୋଇଲି ଦେଖି ରାଣୀଙ୍କୁ କହିଲେ । ରାଣୀ କହିଲେ , ମୁଁ ସୂତା କାଟଇ ତୁ ପାଣି ବୋହୁ , ଆମ୍ଭେ କି ବ୍ରତ କରିବା । ପୋଇଲି କହିଲା , ବ୍ରାହ୍ମଣୀମାନଙ୍କୁ ବ୍ରତ ମାଗିବା । ପୋଇଲି ଯାଇ ବ୍ରାହ୍ମଣୀଙ୍କୁ ବ୍ରତ ମାଗିଲା । ବ୍ରାହ୍ମଣୀମାନେ ବ୍ରତ ଦେଲେ । ରାଣୀ ବିଧି ଅନୁସାରେ ବ୍ରତ କଲେ । ବ୍ରତ କରିବାରୁ ସୋମନାଥଙ୍କର ଦୟା ହେଲା ! କେତେ ଦିନ ଉତ୍ତାରୁ ରାଜାର ଗୋଡ ହାତ ଭଲହେଲା । ରାଜା ଶ୍ରୀ ସୋମନାଥଙ୍କୁ ଦର୍ଶନ କଲେ । କୋପତୀମାନେ କହିଲେ , ହେ ରାଜା , ତୁ କଖାରୁ ଫୁଲରେ ଦେହ କଣ୍ଡୁ କରଇ ବୋଲି କହିଲୁ । ମଣ୍ଡାପିଠାରେ ତାକୁ ଛିଡ଼ଇ ବୋଲି କହିଲୁ । ସେଥିଯୋଗୁଁ ଏ ଦୁଃଖ ପାଇଲୁ । ତୋର ଭାରିଯା ବିଧି ଅନୁସାରେ ଶ୍ରୀ ସୋମନାଥ ବ୍ରତ କରିବାରୁ ସୋମନାଥ ପ୍ରଭୁଙ୍କ ଦୟା ହେଲା । ତୁ ରାଜ୍ୟକୁ ଯାଅ । ରାଜା କହିଲେ , ତୁମ୍ଭର ବଚନ ନାସ୍ତି କରିବାରୁ ମୁଁ କଷ୍ଟ ପାଇଲି । ଏହାଶୁଣି ରାଜ୍ୟକୁ ଗଲେ । ଦେଖିଲେ ରାଜ୍ୟରେ ରାଣୀ ନାହାନ୍ତି । ଲୋକ ପଠାଇ ବ୍ରାହ୍ମଣ ଶାସନରୁ ରାଣୀଙ୍କୁ ଆଣିଲେ । ରାଣୀ ସକଳ କଥା ରାଜାଙ୍କୁ କହିବାରୁ ରାଜା ଗାତ ଖୋଳି ପାତ୍ରର ବଂଶଯାକ ପୋତିଦେଲେ । ରାଜାରାଣୀ ପୁତ୍ରପୌତ୍ରୀ ଧରି ସୁଖରେ ରହିଲେ । ନାରୀମାନେ ବିଧି ଅନୁସାରେ ଏ ବ୍ରତ କଲେ ଧନଧାନ୍ୟ ପୁତ୍ର ପୌତ୍ରୀ ଧରି ଘର କରନ୍ତି , ଅନ୍ତେ ସଦଗତି ଲଭନ୍ତି । ଆହେ ସୁଜ୍ଞଜନମାନେ ନ ଘେନିବ ଦୋଷ । ଅଧମ ତୁଷାରକୁ କୃପାକର ସୋମନାଥ ।
( ଇତି ଶ୍ରୀ ସୋମନାଥ ବ୍ରତକଥା ସମାପ୍ତ )
Comments
Post a Comment