ଶ୍ରୀ ବୈଶାଖ ମାହାତ୍ମ୍ୟ

 ଶ୍ରୀ_ବୈଶାଖ_ମାହାତ୍ମ୍ୟ 

******************(ଊନତ୍ରିଂଶ ଅଧ୍ୟାୟ)


ଭକ୍ତକବି ରାମଦାସଙ୍କ ବିରଚିତ :-


#ଊନତ୍ରିଂଶ_ଅଧ୍ୟାୟ        #ରାଜୋବାଚ 


ଏମନ୍ତ ସକ୍ରୀତ ନୃପତି । କହିଲେ ସୁତଦେବ କତି ।।

ସେ ନାରୀ ଏତେ କୃତ୍ୟ କଲା ।କେବଣ ଗତିକି ଲଭିଲା ।।

ତା ଶୁଣି ସୁତଦେବ କହି । ଶୁଣ ମିଥିଳା ନୃପସାଇଁ ।।

ସେ ନାରୀ ଦେହେ ହତ୍ୟାଦୋଷ। ତକ୍ଷଣେ ହୋଇଲା ପ୍ରବେଶ।।

 ଦେହରେ କୁଷ୍ଠବ୍ୟାଧି ହେଲା । ଦିନକୁ ଦିନ ବ୍ୟାପିଗଲା ।।

 ଛିଡ଼ିଣ ହସ୍ତ ପଦ ଦୁଇ । ବହୁତ କଷ୍ଟ ସେ ଲଭଇ।।

  ଅନେକ ହେଲା କଦର୍ଥନ । ଛିଡ଼ି ପଡ଼ିଲା ମାଂସମାନ ।।

 ମାଦଳ ଗୋଟା ପଡ଼ିଥାଇ । ବସିଲାଠାରୁ ନ ଉଠଇ ।।

 କ୍ଷୁଧାରେ ଆକୁଳ ହୋଇଣ । ଡାକଇ ମୋର ରଖ ପ୍ରାଣ।।

 ଲୋକେ କହିଲେ ତାହା ଶୁଣି । ତୁ ଛାର ହୀନ ଚାଣ୍ଡାଳୁଣୀ।।

 ପତିକି ଖୁଆଇ ଔଷଧ । ଆପଣା ହସ୍ତେ କଲୁ ବଧ।।

ତୋ ମୁଖ ଚାହିଁ ନ ଯୋଗାଇ । ତୁ ପାପୀ ଅଟୁ ସ୍ଵାମୀଦ୍ରୋହୀ।।

 କେ ବୋଲେ ଏହା ମୁଖପୋଡୁ । ଅନ୍ନ ମାଗିଲେ ମାର ଝାଡ଼ୁ।।

 କେ ବୋଲେ ଆପଣେ ଅର୍ଜିଲା । ତୁମ୍ଭର କେଉଁ ଦୋଷ କଲା।।

 ପାରିଲେ ତାକୁ କିଛି ଦିଅ । ନୋହିଲେ କିଛି ଗୋ ନ କହ ।।

 କେ ବୋଲେ ନୁହଇ ଏ ଭୋଗ । ସ୍ଵାମୀକି କରିଛି ସୁଆଗ।।

 ସ୍ବାମୀକି ଔଷଧ ଖୁଆଇ । କୋଳରେ ଘେନିଅଛି ଶୋଇ।।

 କେ ବୋଲେ ଔଷଧର ଗୁଣ । ଫଳିଲା ଦେଖ ଗୋ ଦେହେଣ।।

 ଏମନ୍ତ ଝିଙ୍ଗାସ ଅନେକ । କହିଲେ ଅସହଣି ଲୋକ।।

  ତାହାର ବୃଦ୍ଧା ଶାଶୁ ଥିଲା । ପଡ଼ିଶା ବନ୍ଧୁଙ୍କୁ ଡାକିଲା।।

  ତାଠାକୁ ନ ଅଇଲେ କେହି । ଦଉଡ଼ି ବେକରେ ଲଗାଇ।।

 ଆଗେଣ ଘୋଷରାଇ ନେଲା । ଗ୍ରାମ ବାହାରେ ପକାଇଲା ।।

 ତା ପ୍ରାଣ ଯମଦୂତେ ନେଲେ । ବାନ୍ଧିଣ ଯମ ଆଗେ ଦେଲେ ।।

 ସେ ଯମ ଚିତ୍ରଗୁପ୍ତେ କହି । ବୁଝି ତା ପାପ ପୁଣ୍ୟ ଦୁଇ ।।

 ଆଜ୍ଞା ପ୍ରମାଣେ ମନ୍ତ୍ରୀବର । କହିଲା ପାପ ଯେତେ ତାର ।।

 ସବୁ କହିଲା ପାଞ୍ଜି ଫେଇ । ବୋଇଲା ଏହି ସ୍ଵାମୀଦ୍ରୋହୀ।।

 ପତିକି ଦିନେ ନ ଘେନିଲା । ପର ପୁରୁଷେ ମନ ଦେଲା ।।

 ଆବର କଲା ମହାପାପ । ଶୁଣିଣ ଦେବ କୃତାନ୍ତକ ।।

 ସୁଆଗୀ ଅର୍ଥେ ଏ ଔଷଧ । ଖୁଆଇ ସ୍ୱାମୀ କଲା ବଧ ।।

 ଏମନ୍ତ ଶୁଣି କାଳ ଯମ । କୋପେ ହୋଇଲା ଗୁରୁତମ।।

 ବୋଇଲା ଏ ପାପୀକି ନିଅ । ନର୍କେ ପକାଇ ଦଣ୍ଡ ଦିଅ।। 

ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। 

 ପାପୀ ଯୋନିରେ ଜନ୍ମ ଦେଇ । ଲକ୍ଷେ ବରଷ ଦଣ୍ଡ ଦେଇ।।

  ଯମ ଆଜ୍ଞାରେ ତାକୁ ନେଇ । ଅନେକ ଦଣ୍ଡ ତହିଁ ଦେଇ।।

 ତଦନ୍ତେ ନାନା ଯୋନି ଜନ୍ମ । ଜନ୍ମ ଭୂଞ୍ଜିଲା ପାପକର୍ମ ।।

 ପୁଣି ହିଁ କେତେକ କାଳରେ । ଜନ୍ମିଲା କୁକୁରୀ ପେଟରେ।।

 ବ୍ରାହ୍ମଣ ଦୁଆରେ ରହିଲା । ଏମନ୍ତେ କେତେ ଦିନ ଗଲା।।

  ପଦ୍ମ ବନ୍ଧୁ ନାମେ ବ୍ରାହ୍ମଣ । ମିଳିଲା ବିପ୍ରର ଭୁବନ।।

 ବିପ୍ରଙ୍କୁ ଦେଖି ଦ୍ବିଜବର । କଲାକ ବହୁତ ଆଦର ।।

 ସେ ଦିନ ବୈଶାଖ ଦ୍ଵାଦଶୀ । ବିପ୍ର ମିଳିଲା ପୁରେ ଆସି ।।

 ଉତ୍ତମ ଆସନେ ବସାଇ । ବିପ୍ରର ପଦ ଦେଲା ଧୋଇ ।।

 ଗୃହ ମଧ୍ୟକୁ ଘେନିଗଲା । ପଞ୍ଚୁପଚାରେ ପୂଜା କଲା ।।

 ବୈଶାଖ ଗ୍ରୀଷମ ତେଜରେ । ଚନ୍ଦନ ଲେପିଲେ ଦେହରେ।।

 ଆଲଟ ଘେନିଣ ବିଞ୍ଚିଲେ । ବିପ୍ରର ପାଦ ମଞ୍ଚାଳିଲେ ।।

ଶ୍ୱାନ ଯେ ଦ୍ୱାରେ ଶୋଇଥିଲା । ଗ୍ରୀଷମେ ଛଟପଟ ହେଲା।।

 ବିପ୍ରଙ୍କ ପାଦ ଧୌତ ଜଳେ । ଯାଇଣ ଶୋଇଲା ବିକଳେ।।

 ଶୀତଳ ପାଇଣ ଶୋଇଲା । ଶରୀରେ ଦିବ୍ୟଜ୍ଞାନ ହେଲା।।

ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। 

 ବେଗେ ହୋଇଲା ଜାତିସ୍ମର । ସକଳ ପାପ ଗଲା ଦୂର ।।

 ପୂର୍ବରୁ ଯେତେକ କଳ୍ମଷ । ସକଳ ତାକୁ ହେଲା ଦୃଶ୍ୟ।।

 ବୋଇଲା ସ୍ବାମୀଦ୍ରୋହୀ ହୋଇ । ଅର୍ଜିଲି ଯେତେ ପାପ ମୁହିଁ।।

 ଏବେ ହୋଇଲି ଶ୍ଵାନ ଜନ୍ମ । ଉଦିତ ହେଲା ମୋର ଧର୍ମ।।

 ଶୋଇଲି ବିପ୍ର ପାଦତଳେ । ଶୀତଳ ପାଇଲି ଭୂମିରେ ।।

 ହରିଲି କୋଟିଜନ୍ମ ପାପ । ଏବେ ସେ ଦୃଶ୍ୟ ହେଲା ତପ ।।

 ଧନ୍ୟ ଏ ବଇଶାଖ ମାସ । ଧନ୍ୟ ଏ ଦ୍ଵାଦଶୀ ଦିବସ।।

  ଧନ୍ୟ ଏ ବିପ୍ର ପାଦୋଦକ । ସେ ଶ୍ବାନ କହିଣ ଏତେକ।।

 ସେ ପାଦୋଦକ ଘେନି ଶିରେ । ଚାଟିଣ ଖାଇଲା ମୁଖରେ।।

 ତକ୍ଷଣେ ତେଜି ଶ୍ବାନ ରୂପ । ହୋଇଲା ଅପୂର୍ବ ସ୍ବରୂପ ।।

 ଦିଶିଲା ଗନ୍ଧର୍ବ ଶରୀର । ତା ଦେଖି ନଗ୍ର ନାରୀନର।।

 ବହୁତ ଆଶ୍ଚର୍ଯ୍ୟ ହୋଇଲେ । ପଦ୍ମ ବନ୍ଧୁ ବିପ୍ର ଶୁଣିଲେ ।।

ଶୁଣିଣ କହଇ ବଚନ । ଶୁଣ ତୁ କୁକୁରୀ ବହନ।।

କେବଣ ଜନ୍ମ ପୂର୍ବେ ଥିଲୁ  । କି ଦୋଷେ କୁକୁରୀ ହୋଇଲୁ।।

 ଶୁଣିଣ ଶ୍ଵାନ କରଯୋଡ଼ି । କହଇ ପାଦ ତଳେ ପଡ଼ି ।।

ପୂର୍ବେ ମୁଁ ସ୍ଵାମୀଦ୍ରୋହୀ ହେଲି।ସେ ଦୋଷେ କୁକୁରୀ ହୋଇଲି ।।

ତୁମ୍ଭ ଚରଣୋଦକ ପାଇ । ନିସ୍ତାର ହୋଇଲି ଗୋସାଇଁ।।

 ଆବର ହେଲି ଜାତିସ୍ମର । ଗୋସାଇଁ ମୋତେ ତୁ ନିସ୍ତାର।।

  ମୋ ଆଗେ କିଛି ଧର୍ମ କହ । ବୈକୁଣ୍ଠେ ଯିବି ଆଜ୍ଞା ଦିଅ।। 

 ଏମନ୍ତେ ପଦ୍ମବନ୍ଧୁ ପୁଣି । ଦୟା ସାଗର ବିପ୍ରମଣି ।।

 କହିଲେ ଧର୍ମ ଉପଦେଶ । ସେ ଧର୍ମ ବଇଶାଖ ମାସ।।

  ସେ ଧର୍ମ ଆଚରଣେ ନର । ବସନ୍ତି ବଇକୁଣ୍ଠ ପୁର ।।

ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। 

ତା ନାମ ମୁଖରେ ଉଚ୍ଚାରି । ଶ୍ଵାନ ଶୁଣିଲା କର୍ଣ୍ଣ ଡେରି ।।

ସ୍ୱର୍ଗୁ  ଅଇଲା ରଥ ବେଗେ । ମିଳିଲା ସେ ଶ୍ଵାନର ଆଗେ।।

ଗୋବିନ୍ଦ ଗୋବିନ୍ଦ ସୁମରି । ଚଳିଲା ବଇକୁଣ୍ଠପୁରୀ ।।

 ପ୍ରବେଶି ବଇକୁଣ୍ଠ ପୁରେ । ଉର୍ବଶୀ ନାମ ହେଲା ତାରେ ।।

 ଏବେ ହୋ ଶୁଣ ନରନାଥ । ଶ୍ଵାନର ଦେଖିଣ ଅଦ୍ଭୁତ ।।

 ସେ ପଦ୍ମ ବନ୍ଧୁ ବିପ୍ର ପାଦେ । ବିପ୍ର ପୂଜଇ ଅପ୍ରମାଦେ।।

 ବୋଇଲା ଶୁଣ ବିପ୍ରବର । ମୋତେ ହୋ କରିବା ନିସ୍ତାର।।

 ଏମନ୍ତ କହି ବିପ୍ର ପାଦେ । ପୂଜିଲା ସେ ବିପ୍ର ଆନନ୍ଦେ ।।

 ସୁଦୟା ଚିତ୍ତେ ବିପ୍ରବର । ତାକୁ କହିଲେ ମନ୍ତ୍ରସାର ।।

 ପରମହଂସ ମନ୍ତ୍ର ଦୀକ୍ଷା । ସେ ବିପ୍ରେ ଦେଇଗଲେ ଶିକ୍ଷା ।।

 ବିପ୍ରକୁ ଦେଇ ମୋକ୍ଷଗତି । କହିଣ ବୈଶାଖ ବିଭୂତି ।।

 ତୀର୍ଥକୁ ଗଲେ ବିପ୍ରବର । ଏବେ ହୋ ଶୁଣ ନୃପବର ।।

 ସେ ବିପ୍ର ମନ୍ତ୍ରରାଜ ଜପି । ସଂସାରେ ହେଲା ମହାତପୀ।। 

  ଧର୍ମାର୍ଥ କାମ ମୋକ୍ଷହାର । ହେଳେ ତରିଲା ବିପ୍ରବର।। 

 ବୈଶାଖ ପ୍ରାତଃ ସ୍ନାନ କଲା । ଅନେକ ଜଳ ଦାନ ଦେଲା।। 

ଅନ୍ତେ ଦେଖିଲା ବିଷ୍ଣୁପୁର। ଶୁଣ ମିଥିଳା ନୃପବର।। 

ବୈଶାଖ ମାହାତ୍ମ୍ୟ ଏ ରସ। ଭାବେ ଭଣିଲେ ରାମ ଦାସ।। 


ଇତି ଶ୍ରୀ ସ୍କନ୍ଧପୁରାଣେ ବୈଶାଖ ମାହାତ୍ମ୍ୟେ ନାରଦ 

ଅମ୍ବରୀଷ ସମ୍ବାଦେ ନାମ ଊନତ୍ରିଂଶୋଽଧ୍ୟାୟଃ।। 🌹🌹

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍