ସଂକ୍ଷେପରେ ଅଷ୍ଟାଦଶ ପୁରାଣ

 || ସଂକ୍ଷେପରେ ଅଷ୍ଟାଦଶ ପୁରାଣ ||

ଯେଉଁ ଶାସ୍ତ୍ର ଗୁଡ଼ିକ ପ୍ରାଚୀନ ବା ପୁରୁଣା ତାହାକୁ ସାଧାରଣ ଅର୍ଥରେ, ପୁରାଣ ବୁଝାଯାଏ l ଆହୁରି  କୁହାଯାଇଛି, - 'ପୁରଣାତ୍ ପୁରାଣମ୍' ଅର୍ଥାତ ଯାହା ପୂରଣକରେ, ତାହା ପୁରାଣ l 


ମାତ୍ର ପୁରାଣ କ'ଣ ପୂରଣ କରେ? ଏହାର ଉତ୍ତରରେ କୁହାଯାଇଥାଏ  ବେଦର ଅର୍ଥକୁ ଯିଏ ପୂରଣ ବା ପୁଷ୍ଟ କରେ ତାହା ହିଁ ପୁରାଣ l ବେଦ ହେଉଛି, ସର୍ବ ପ୍ରାଚୀନ ଗ୍ରନ୍ଥ l ଏହା ଅତ୍ୟନ୍ତ କ୍ଲୀଷ୍ଟ l ଏଣୁ ଏହାର ତତ୍ତ୍ୱକୁ ବୋଧ ଗମ୍ୟ ଓ ସୁଖ ପାଠ୍ୟ କରିବା ପାଇଁ ରଚିତ ବିଭିନ୍ନ ପୁରାଣ l ଏଣୁ କୁହାଯାଇଛି :- "ଇତିହାସ ପୁରାଣାଭ୍ୟାଂ ବେଦଂ ସମୁପବୃମ୍ହୟେତ୍" l ଅର୍ଥାତ୍ ବେଦତତ୍ତ୍ୱକୁ ଇତିହାସ ବା ପୁରାଣ ଦ୍ୱାରା ପରିପୁଷ୍ଟ କରାଯାଇ ଥାଏ l ଏଥି ପାଇଁ ଶାସ୍ତ୍ରକାର ମାନେ ପୁରାଣକୁ ପଞ୍ଚମ ବେଦ ରୂପେ ଆଖ୍ୟାୟିତ କରି ଥାନ୍ତି l 


ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ୟକ୍ତି ମାନଂକ ସଂବଂଧରେ ଦେଖିବାକୁ ମିଳୁଥିବା ଆଖ୍ୟାୟିକାକୁ ପୁରାଣ ବୋଲାଯାଏ I


ଭାରତୀୟ ସଂସ୍କୃତି ଓ ଦର୍ଶନର ମୂଳଗ୍ରନ୍ଥ ବେଦ l ଏହାକୁ ସୁଗମ ଉପାୟରେ ଜନସମୂହ ନିକଟରେ  ପହଞ୍ଚାଇବାର ଗୁରୁଦାୟିତ୍ୱ ବହନକରେ ପୁରାଣ l ପୁରାଣ ଅଧ୍ୟୟନରୁ ଆମକୁ ଆମ ସମାଜର ପୁରା କାଳର ଇତିହାସ, ଭୂଗୋଳ, ରାଜନୀତି, ସମାଜ ନୀତି, ଅର୍ଥନୀତି, ଶିକ୍ଷାନୀତି ଆଦି ବିଷୟକ ଜ୍ଞାନ ପ୍ରାପ୍ତ ହୋଇଥାଏ l ଏଥିରୁ ଆମକୁ ଧର୍ମ, ଧନୁର୍ବେଦ, ଆୟୁର୍ବେଦ, ଜ୍ୟୋତିଷ, ସାହିତ୍ୟ, ଅର୍ଥଶାସ୍ତ୍ର, ଛନ୍ଦ, ବ୍ୟାକରଣ ଇତ୍ୟାଦି ବିଷୟରେ ଜ୍ଞାନପ୍ରାପ୍ତ ହୋଇ ଥାଏ l ପୁରାଣଗୁଡ଼ିକର ବହୁବିଧ ଉପାଦେୟତାକୁ ଲକ୍ଷ୍ୟକରି କୁହାଯାଏ ଯେ ବେଦ ଉପନିଷଦ ଆଦି ଶାସ୍ତ୍ର ଜାଣି ଯଦି ଜଣେ ପୁରାଣ ନ ଜାଣେ ତେବେ ସେ ବିଦ୍ୱାନ ହୋଇ ନପାରେ l ଏଣୁ ଵିଦ୍ଵତା ଲାଭ ପାଇଁ ପୁରାଣ ଅଧ୍ୟୟନ ଏକାନ୍ତ ଆବଶ୍ୟକ l


ଇତିହାସରୁ ଜଣାଯାଏ ଭଗବାନ ବ୍ୟାସ ଅଷ୍ଟାଦଶ ପୁରାଣର ରଚୟିତା l ଏଣୁ କୁହାଯାଏ,"ଅଷ୍ଟାଦଶ ପୁରାଣାନାଂ କର୍ତ୍ତା ସତ୍ୟବତୀ ସୁତଃ "l ପୁରାଣ ମାନଙ୍କର ସଂଖ୍ୟା ଅଠର l ଏଗୁଡ଼ିକୁ ମହାପୁରାଣ କୁହାଯାଏ l ଏତଦ୍ ବ୍ୟତୀତ ବହୁତ ଉପ ପୁରାଣ ମଧ୍ୟ ରହିଛି l ଅଠର ଖଣ୍ଡ ମହାପୁରାଣଙ୍କୁ ଜାଣିବା  ପାଇଁ ଶ୍ଳୋକଟିଏ ଅଛି," ମଦ୍ବୟଂ ଭଦ୍ବୟମ୍ଚୈବ ବ୍ର ତ୍ରୟଂବଚତୁଷ୍ଟୟଂ,ଅନାପଲିଙ୍ଗ କୁସ୍କାନି ପୁରାଣାନି  ପ୍ରଚକ୍ଷତେ"l ଅର୍ଥାତ୍ ମ ଅକ୍ଷରରେ ଦୁଇ ଖଣ୍ଡ, ଭ ଅକ୍ଷରରେ ଦୁଇ ଖଣ୍ଡ, ବ୍ର ରେ ତିନି ଖଣ୍ଡ, ବ' ରେ ଚାରି ଖଣ୍ଡ ପୁରାଣ ଅଛି l ଏବଂ ଅ,ନା,ପ,ଲି, ଗ, କୂ, ସ୍କ, ଏହି ସାତଟି ଅକ୍ଷରରେ ଖଣ୍ଡିଏ ଲେଖାଁଏ ପୁରାଣ ଅଛି l ଏପରି ମହାପୁରାଣମାନଙ୍କ ସଂଖ୍ୟା ଅଷ୍ଟାଦଶ l ସଂକ୍ଷେପରେ ଅଷ୍ଟାଦଶ ପୁରାଣ ଏବଂ ତାହାର କଥାବସ୍ତୁ ନିମ୍ନ ପ୍ରକାର l


ଅଷ୍ଟାଦଶ ପୁରାଣ କଣ କଣ ?

```````````````````````````````````````````

୧. ବ୍ରହ୍ମା ପୁରାଣ

୨. ବିଷ୍ଣ ପୁରାଣ

୩. ଶିବ ପୁରାଣ

୪. ପଦ୍ମ ପୁରାଣ

୫. ଭାଗବତ ପୁରାଣ

୬. ନାରଦ ପୁରାଣ

୭. ମାର୍କଣ୍ଡେୟ ପୁରାଣ

୮. ଅଗ୍ନି ପୁରାଣ

୯. ଭବିଷ୍ୟ ପୁରାଣ

୧୦. ବ୍ରହ୍ମବୈବର୍ତ୍ତ ପୁରାଣ

୧୧. ଲିଙ୍ଗ ପୁରାଣ

୧୨. ଗରୁଡ ପୁରାଣ

୧୩. ବ୍ରାହ୍ମଣ୍ଡ ପୁରାଣ

୧୪. ମତ୍ସ୍ୟ ପୁରାଣ

୧୫. କୁର୍ମ ପୁରାଣ

୧୬. ବାମନ ପୁରାଣ

୧୭. ସ୍କନ୍ଧ ପୁରାଣ

୧୮. ବରାହ ପୁରାଣ


1. ବ୍ରହ୍ମପୁରାଣ :ଏହା ସବୁଠାରୁ ପ୍ରାଚୀନ ପୁରାଣ l ଏଥିରେ 245 ଅଧ୍ୟାୟ ଏବଂ ତେରହଜାର ଶ୍ଳୋକ ରହିଛି l ଏହି ପୁରାଣରେ ସୂର୍ଯ୍ୟ ବଂଶ ଏବଂ ଚନ୍ଦ୍ର ବଂଶର ବିସ୍ତୃତ ବିବରଣୀ ରହିଛି l ବିଭିନ୍ନ ତୀର୍ଥ ମାନଙ୍କର ମଧ୍ୟ ବର୍ଣ୍ଣନା ରହିଛି l ଏହି ପୁରାଣରେ କୁହା ଯାଇଛି, ହେ ପ୍ରାଣୀ, ଧର୍ମରେ ଆଗ୍ରହ ରଖ l ଧର୍ମହିଁ ପରଲୋକ ଯିବାକାଳରେ ଏକମାତ୍ର ବନ୍ଧୁ l ବ୍ରହ୍ମପୁରାଣର ବିଶିଷ୍ଟତା ହେଉଛି, ଏହାର 18 ରୁ 23 ଅଧ୍ୟାୟ ମଧ୍ୟରେ ଆମ ଓଡ଼ିଶାର ସୂର୍ଯ୍ୟମନ୍ଦିର କୋଣାର୍କର ବିଶଦ ବର୍ଣ୍ଣନା ରହିଛି l


2. ବ୍ରହ୍ମାଣ୍ଡ ପୁରାଣ :ଏହା ମଧ୍ୟ ଏକ ବହୁ ପ୍ରାଚୀନ ପୁରାଣ l ଏହାର ଶ୍ଳୋକ ସଂଖ୍ୟା 12200 l କୁହା ଯାଇଛି," ଶୃଣୁ ବତ୍ସ ! ପ୍ରଵେକ୍ଷାମି ବ୍ରହ୍ମାଣ୍ଡାଖ୍ୟମ୍ ପୁରାଣମ୍ l ଯତ୍ଚ ଦ୍ୱାଦଶସାହସ୍ରମ୍ ଭାବିକଳ୍ପ କଥା ଯୁତମ୍ "l ଏଥିରେ ପୃଥିବୀ ଭୌଗୋଳିକ ସ୍ୱରୂପ, ସପ୍ତ ସାଗର, ସାତ ଦ୍ବୀପ, ଭଦ୍ରାଶ୍ୱ, କେତୁମାଳା, ଇଳାଦ୍ଵୀପ, ଇନ୍ଦ୍ରଦ୍ୱୀପ ପ୍ରଭୃତି କେତେକ ଦେଶର ବର୍ଣ୍ଣନା ରହିଛି l ମେରୁ,ମନ୍ଦିର ଓ ହେମକୁଟ ଆଦି କେତେକ ପର୍ବତ ମଧ୍ୟ ଏଥିରେ ବର୍ଣ୍ଣିତ l


3. ବ୍ରହ୍ମବୈବର୍ତ୍ତ ପୁରାଣ : ଏହି ପୁରାଣ ଚାରୋଟି ଖଣ୍ଡରେ ବିଭକ୍ତ l ଏଥିରେ 133 ଅଧ୍ୟାୟ ଓ ପ୍ରାୟ ଅଠର ହଜାର ଶ୍ଳୋକ ଅଛି l ସତ୍ଚିଦାନନ୍ଦ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣ ଏଥିରେ ବ୍ରହ୍ମଭାବେ ପରିକଳ୍ପିତ  ହୋଇଥିବାରୁ ଏହାର ନାମ ବ୍ରହ୍ମ ବୈବର୍ତ୍ତ ପୁରାଣ ରଖା ଯାଇଛି l 


4. ମାର୍କଣ୍ଡେୟ ପୁରାଣ :'ପୁରାଣମ୍ ନବସାହସ୍ରମ୍ ମାର୍କଣ୍ଡେୟମିହୋଚ୍ୟତେ'l ଏହି ପୁରାଣରେ ସର୍ବ ମୋଟ 137 ଅଧ୍ୟାୟ ଓ ପ୍ରାୟ ନଅହଜାର ଶ୍ଳୋକ ଅଛି l ଏହି ପୁରାଣର ଉପସ୍ଥାପନା ଗୁରୁ ମହର୍ଷି ମାର୍କଣ୍ଡେୟ ଏବଂ ଶିଷ୍ୟ ଜୈମିନୀଙ୍କ ପ୍ରଶ୍ନୋତ୍ତର ଛଳରେ ହୋଇଛି l ଜୈମିନୀ ହେଉଛନ୍ତି ମହର୍ଷି ବ୍ୟାସ ଦେବଙ୍କ ଶିଷ୍ୟ l ସେ କେତେକ ପ୍ରଶ୍ନ ଗୁରୁ ମାର୍କଣ୍ଡେୟଙ୍କୁ ପଚାରିଛନ୍ତି l ଏସବୁ ପ୍ରଶ୍ନ ଉତ୍ତର ଦେବା ପାଇଁ ମହର୍ଷି ମାର୍କଣ୍ଡେୟ ବେଦ ବିଦ୍ୟାରେ ବିଶାରଦ ଚାରୋଟି ପକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପକ୍ଷୀମାନେ ଜୈମିନୀଙ୍କୁ ତାଙ୍କ ପ୍ରଶ୍ନୋତ୍ତର ଦେଇ ଶଙ୍କା ମୋଚନ କରାଇଛନ୍ତି l ଏହା ହିଁ ମାର୍କଣ୍ଡେୟ ପୁରାଣର କଥାବସ୍ତୁ l


5. ଭବିଷ୍ୟ ପୁରାଣ : ସୃଷ୍ଟିର ଭବିଷ୍ୟତ ବିଷୟ ଏହି ପୁରାଣର କଥା ବସ୍ତୁ l ଏଥିରେ ରହିଛି 24 ହଜାର ପାଞ୍ଚ ଶହ ଶ୍ଳୋକ ଓ ପାଞ୍ଚ ଗୋଟି ପର୍ବ l ପର୍ବଗୁଡ଼ିକ ହେଲେ ବ୍ରାହ୍ମପର୍ବ,ବିଷ୍ଣୁପର୍ବ,ଶିବପର୍ବ, ସୂର୍ଯ୍ୟପର୍ବ ଓ ପ୍ରତିସର୍ଗପର୍ବ l ଭବିଷ୍ୟ ପୁରାଣରେ ନାଗପୂଜାର ଵିଧି, ନାଗପଞ୍ଚମୀ, ଅଗ୍ନିପୂଜା, ସୃଷ୍ଟି ପ୍ରକ୍ରିୟା ଇତ୍ୟାଦି ବିଷୟ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି l ଏହି ପୁରାଣରେ ଶାମ୍ବ ଆଖ୍ୟାନ ଏକ ବିଶେଷ ପ୍ରସଙ୍ଗ l ଶାମ୍ବ କୃଷ୍ଣଙ୍କ ପୁତ୍ର l ଶାପଗ୍ରସ୍ତ ହୋଇ ସେ କୁଷ୍ଠବ୍ୟାଧିରେ ଆକ୍ରାନ୍ତ ହେଲେ,ତାଙ୍କ ଚିକିତ୍ସା ନିମନ୍ତେ ଗରୁଡ଼ ଯାଇ ଶାକଦ୍ଵୀପରୁ ଜଣେ ବ୍ରାହ୍ମଣଙ୍କୁ ଅଣାଇ ସୂର୍ଯ୍ୟପୂଜା କରାଇବା ବ୍ୟବସ୍ଥା କଲେ ଯାହା ଦ୍ୱାରା ଶାମ୍ବ ଆରୋଗ୍ୟ ଲାଭକଲେ l ସୂର୍ଯ୍ୟ ପୂଜାର ମାହାତ୍ମ୍ୟ ଏହି ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି l


6. ବାମନ ପୁରାଣ : ଏହି ପୁରାଣରେ ଶ୍ରୀବିଷ୍ଣୁଙ୍କ ବିଭିନ୍ନ ଅବତାରର ବର୍ଣ୍ଣନା ରହିଛି ଏବଂ ବିଶଦ ଭାବେ ବାମନ ଅବତାରର ବର୍ଣ୍ଣନା ରହିଛି l ଏହି ପୁରାଣରେ ଦଶହଜାର ଶ୍ଳୋକ ଅଛି l ଏଣୁ କୁହା ଯାଏ :-

ପୁରାଣମ୍ ଦଶସହସ୍ରମ୍ ବାମନମ୍ ପରିକୀର୍ତ୍ତିତମ୍ l

ବଳି ବାମନ ଚରିତ,ବ୍ରହ୍ମାଙ୍କ ଉତ୍ପତ୍ତି,ଶିବ ପାର୍ବତୀ ବିବାହ, କୁମାର ସମ୍ଭବ, ଗଣେଶଙ୍କ ଜନ୍ମ,ତାରକ ଦୈତ୍ୟ ବଧ,ମୁରାସୁର ବଧ,କେଦାରତୀର୍ଥ ବର୍ଣ୍ଣନ ଇତ୍ୟାଦି ଏହି ପୁରାଣର ଅନ୍ୟ ବିଷୟବସ୍ତୁ l


7. ବିଷ୍ଣୁ ପୁରାଣ :ବିଷ୍ଣୁ ପୁରାଣରେ 126 ଟି ଅଧ୍ୟାୟ  ଓ 23 ହଜାର ଶ୍ଳୋକ ଅଛି l ସୃଷ୍ଟି ପ୍ରକ୍ରିୟା,ସୃଷ୍ଟିର ଭୌଗୋଳିକ ତତ୍ତ୍ୱ,ଚତୁରାଶ୍ରମ,ସୋମବଂଶ, ଯଦୁ ବଂଶ, ପୁରୁ ବଂଶ, ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା, ସୃଷ୍ଟିର ପ୍ରଳୟ ଆଦି ଏହି ପୁରାଣର ବିଷୟ ବସ୍ତୁ l ଏହି ପୁରାଣରୁ ପ୍ରାଚୀନ ଭାରତ ଇତିହାସର ବହୁ ତଥ୍ୟ,ବିଶେଷ କରି ମୌର୍ଯ୍ୟବଂଶ ଓ ପୁରୁବଂଶର ବହୁ ତଥ୍ୟ ପ୍ରାପ୍ତ ହୋଇଥାଏ l 


8. ଭାଗବତ ମହାପୁରାଣ :ଭାଗବତ ପୁରାଣରେ ମୁଖ୍ୟତଃ ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣିତ ହୋଇ ଥିଲେ ହେଁ ଏହା ବହୁ ତତ୍ତ୍ୱ ଉପଦେଶରେ ପୂର୍ଣ୍ଣ l ସମସ୍ତ ଶାସ୍ତ୍ରର ସାର ଭାଗବତରେ ସନ୍ନିବେଶିତ l ବେଦବ୍ୟାସ ସମସ୍ତ ପୁରାଣ ରଚନା କରି ମନରେ ଶାନ୍ତି ପାଉନଥିଲେ l ସେ ନାରଦଙ୍କ ପରାମର୍ଶରେ ତେଣୁ ଭାଗବତ ମହାପୁରାଣ ରଚନା କରିଥିଲେ l କୁହାଯାଏ ପ୍ରକୃତ ବିଦ୍ୟାର ପରୀକ୍ଷା ଭାଗବତରେ ହିଁ କରାଯାଏ l ଏହା ଏକ ନିତ୍ୟ ପଠନୀୟ ଗ୍ରନ୍ଥ l ଏଣୁ କୁହା ଯାଇଛି :- " ପରମ ଶାସ୍ତ୍ର ଭାଗବତ l ଅଭ୍ୟାସ କରୁଥିବ ନିତ୍ୟ l" ଭାଗବତ ପୁରାଣର ଶ୍ଳୋକ ସଂଖ୍ୟା ଅଠର ହଜାର l


9. ନାରଦୀୟ ପୁରାଣ : ବର୍ଣ୍ଣାଶ୍ରମ ପଦ୍ଧତି, କର୍ମ କାଣ୍ଡ ପ୍ରକ୍ରିୟା, ବେଦାଙ୍ଗ, ଶିକ୍ଷା,କଳ୍ପ, ବ୍ୟାକରଣ, ଛନ୍ଦ,ନିରୁକ୍ତ,ଜ୍ୟୋତିଷ ଇତ୍ୟାଦି ଏହି ପୁରାଣରେ ବର୍ଣ୍ଣିତ l ଏହା ଦୁଇ ଭାଗରେ ବିଭକ୍ତ l ପୂର୍ବ ଭାଗ ଓ ଉତ୍ତର ଭାଗ l ପୂର୍ବ ଭାଗରେ 125 ଟି ଅଧ୍ୟାୟ ଓ ଉତ୍ତର ଭାଗରେ 82 ଗୋଟି ଅଧ୍ୟାୟ ରହିଛି l ଏହି ପୁରାଣର ଶ୍ଳୋକ ସଂଖ୍ୟା ପଚିଶ ହଜାର l


10. ଗରୁଡ଼ପୁରାଣ :ଏହା ପୂର୍ବଖଣ୍ଡ ଏବଂ ଉତ୍ତର ଖଣ୍ଡ ଦୁଇଗୋଟି ଭାଗରେ ବିଭକ୍ତ l ପୂର୍ବ ଖଣ୍ଡରେ 119 ଓ ଉତ୍ତରଖଣ୍ଡରେ 85 ଗୋଟି ଅଧ୍ୟାୟ ଅଛି l ଏହାର ଶ୍ଳୋକ ସଂଖ୍ୟା 18 ହଜାର l ବିଭିନ୍ନ ବ୍ରତ ସମେତ ବିଭିନ୍ନ ଦେବାଦେବୀଙ୍କ ପୂଜା ଉପାସନା  ପଦ୍ଧତି ଏଥିରେ ବର୍ଣ୍ଣିତ ହୋଇଛି l 


11. ପଦ୍ମ ପୁରାଣ :ସ୍କନ୍ଧପୁରାଣ ପରେ ପଦ୍ମପୁରାଣ  ଦ୍ୱିତୀୟ ବୃହତ୍ତମ ପୁରାଣ l ପାଞ୍ଚ ଖଣ୍ଡରେ ବିଭକ୍ତ ଏହି ପୁରାଣରେ 25ହଜାର ଶ୍ଳୋକ ରହିଛି l ଖଣ୍ଡ ଗୁଡ଼ିକ ଯଥା କ୍ରମେ ସୃଷ୍ଟି, ଭୂମି, ସ୍ୱର୍ଗ, ପାତାଳ ଓ ଉତ୍ତର ନାମରେ ପରିଚିତ l ଏହାକୁ ଛାଡ଼ି ଏଥିରେ କ୍ରିୟାଯୋଗ ସାର ନାମରେ ଏକ ଷଷ୍ଠ ଖଣ୍ଡ ଅଛି l ଏହି ଖଣ୍ଡରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବର୍ଣ୍ଣିତ ହୋଇଛି l ଏହି ପୁରାଣରେ କାର୍ତ୍ତିକେୟଙ୍କ ଜନ୍ମ,ତାରକାସୁର ବଧ,ଶ୍ରୀରାମ ଚରିତ ଓ ଦୁଷ୍ମନ୍ତ ଶକୁନ୍ତଳା ଉପାଖ୍ୟାନ ଖୁବ ସୁନ୍ଦରଭାବେ ବର୍ଣ୍ଣିତ l ଏହି ପୁରାଣକୁହିଁ ଆଧାରକରି ପରବର୍ତ୍ତୀ କାଳରେ ମହାକବି କାଳିଦାସ କୁମାର ସମ୍ଭବମ୍, ଅଭିଜ୍ଞାନ ଶାକୁନ୍ତଳମ୍ ଆଦି କାବ୍ୟସମୂହ ରଚନା କରିଛନ୍ତି l


12. ବରାହ ପୁରାଣ : ବରାହ ପୁରାଣରେ ବିଷ୍ଣୁଙ୍କ ବରାହ ଅବତାର ପ୍ରସଙ୍ଗ ବିସ୍ତୃତ ଭାବେ ବର୍ଣ୍ଣିତ l ଏହା ଛଡ଼ା ଏଥିରେ ବିଭିନ୍ନ ତୀର୍ଥ କ୍ଷେତ୍ର ମାନଙ୍କ ମାହାତ୍ମ୍ୟ, ମଥୁରା ଉପାଖ୍ୟାନ ଏବଂ ନଚିକେତା ଉପାଖ୍ୟାନ ମଧ୍ୟ ବର୍ଣ୍ଣିତ l ଏହି ପୁରାଣର ଶ୍ଳୋକ ସଂଖ୍ୟା ଚବିଶ ହଜାର l 

ଏଣୁ କୁହାଯାଇଛି :- "ଚତୁର୍ବିଂଶତ୍ ସହସ୍ରାଣି ବରାହମିହୋଚ୍ୟତେ"


13. ବାୟୁ ପୁରାଣ : ଏହି ପୁରାଣରେ ସୃଷ୍ଟିତତ୍ତ୍ୱ ଓ ପ୍ରକ୍ରିୟା,ସପ୍ତ ଦ୍ବୀପ,ସପ୍ତ ସାଗର ପ୍ରଭୃତି ଭୂଗୋଳ  ବିଷୟକ ବର୍ଣ୍ଣନା ରହିଛି l ଭିନ୍ନ ଭିନ୍ନ ରାଜବଂଶର ବର୍ଣ୍ଣନା ଭାରତୀୟ ପ୍ରାଚୀନ ଇତିହାସ ବିଷୟରେ ଆଲୋକପାତ କରେ l ଏଥିରେ ସଙ୍ଗୀତ ଶାସ୍ତ୍ରର ମଧ୍ୟ ବିଶଦ ବର୍ଣ୍ଣନା ରହିଛି l 112 ଗୋଟି ଅଧ୍ୟାୟ ବିଶିଷ୍ଟ ବାୟୁ ପୁରାଣରେ ଶ୍ଳୋକ ମାନଙ୍କ ସଂଖ୍ୟା ଚବିଶ ହଜାର l


14. ଲିଙ୍ଗ ପୁରାଣ : ଭଗବାନ ଶିବଙ୍କୁ ଲିଙ୍ଗରୂପେ ପୂଜା କରିବାର ପଦ୍ଧତି ଲିଙ୍ଗ ପୁରାଣରେ ବର୍ଣ୍ଣିତ l ଏଥିରେ ଶିବଙ୍କର 28 ଗୋଟି ଅବତାର, ଲିଙ୍ଗର ଉତ୍ପତ୍ତି ଓ ବିଭିନ୍ନ ଶୈବ ତୀର୍ଥ ସମ୍ବନ୍ଧରେ ବର୍ଣ୍ଣନା ରହିଛି l ଏଥିରେ ଶିବଙ୍କୁ ପଶୁପତି ରୂପେ ବର୍ଣ୍ଣନା କରାଯାଇ ଶିବ ସହସ୍ର ନାମର ବର୍ଣ୍ଣନା ହୋଇଛି l ଏହା ପୂର୍ବ ଓ ଉତ୍ତର ଦୁଇଭାଗରେ ବିଭକ୍ତ l ଲିଙ୍ଗ ପୁରାଣର ଶ୍ଳୋକ ସଂଖ୍ୟା ଏଗାର ହଜାର :- 'ତଦେକାଦଶସାହସ୍ରମ୍ ଲୈଙ୍ଗିକଂ ପରିକିର୍ତ୍ତ୍ୟତେ'l


15. ଅଗ୍ନି ପୁରାଣ : ଏଥିରେ ସୃଷ୍ଟି ତତ୍ତ୍ୱ, ଅବତାର ବାଦ, ରାମାୟଣ ଓ ମହାଭାରତର ଉପାଖ୍ୟାନ, ଶିଳ୍ପ କଳା, ଚିକିତ୍ସା ଶାସ୍ତ୍ର, ଜ୍ୟୋତିଷ, ଧର୍ମନୀତି, ଅର୍ଥନୀତି,ରାଜନୀତି,ବ୍ରତଉପାସନା ପଦ୍ଧତି ଏବଂ ଅଳଙ୍କାରଶାସ୍ତ୍ରର ବିଶଦ ବର୍ଣ୍ଣନା ରହିଛି l ଏଥିରେ  ସମସ୍ତ ବିଦ୍ୟା ବର୍ଣ୍ଣିତ ହୋଇ ଥିବାରୁ ଏହାକୁ ଆମ ଭାରତୀୟ ଶାସ୍ତ୍ରର ଜ୍ଞାନକୋଷ ରୂପେ ଆଖ୍ୟାୟିତ  କରା ଯାଇଛି l କୁହାଯାଇଛି :- ଆଗ୍ନେୟହି ପୁରାଣେସ୍ମିନ୍ ସର୍ବବିଦ୍ୟା ପ୍ରଦର୍ଶିତାଃ l ଅଗ୍ନି ପୁରାଣ 383 ଅଧ୍ୟାୟ ବିଶିଷ୍ଟ ଏବଂ ଏଥିରେ ଷୋଳ ହଜାର ଶ୍ଳୋକ ରହିଛି l


16. ମତ୍ସ୍ୟ ପୁରାଣ :ଏହି ପୁରାଣରେ ବିଭିନ୍ନ ରାଜ ବଂଶ ସହିତ ବୈରାଜ,ଅଗ୍ନିଷ୍ଣାତ,ବର୍ହିଷଦ୍ ପ୍ରଭୃତି ପିତୃବଂଶର ବର୍ଣ୍ଣନା ରହିଛି l କାଶି,ନର୍ମଦା,ପୁରୀ ଆଦି ତୀର୍ଥସ୍ଥଳୀର ବର୍ଣ୍ଣନାରହିଛି l ଏଥିରେ ଭୃଗୁ, ଅଙ୍ଗିରା, କଶ୍ୟପ, ଅଗସ୍ତ୍ୟ, ପରାଶର ଆଦି ଋଷି ମାନଙ୍କର ବଂଶାବଳୀ ବିଷୟରେ ସୂଚନା ରହିଛି l ଏଥିରେ 291ଗୋଟି ଅଧ୍ୟାୟ ଓ ପ୍ରାୟ 14 ହଜାର ଶ୍ଳୋକ ରହିଛି l ଏଣୁ କୁହାଯାଏ,"ତନ୍ ମତ୍ସ୍ୟମିତି ଜାନୀଧ୍ବଂ ସହସ୍ରାଣୀ ଚତୁର୍ଦ୍ଦଶ"l


17. କୂର୍ମ ପୁରାଣ : ଭଗବାନଙ୍କ କୂର୍ମ ଅବତାର ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଉପଦେଶ, ଏହି ପୁରାଣରେ ବର୍ଣ୍ଣିତ l ସୃଷ୍ଟି ପ୍ରକରଣ,ପାର୍ବତୀଙ୍କ ତପସ୍ୟା,କାଶି ପ୍ରୟାଗ ଆଦି ତୀର୍ଥକ୍ଷେତ୍ରର ମାହାତ୍ମ୍ୟ ତଥା ଅନ୍ୟ ଆଧ୍ୟାତ୍ମିକ ତତ୍ତ୍ୱ ଏବଂ ତଥ୍ୟବିଷୟକ ଆଲୋଚନା ଏଥିରେ ରହିଛି l ଏହା ପୂର୍ବଭାଗ ଓ ଉତ୍ତରଭାଗ ନାମରେ ଦୁଇ ଭାଗରେ ବିଭକ୍ତ l ଦୁଇଟି ଭାଗରେ  ଯଥାକ୍ରମେ 52 ଓ 44ଟି ଅଧ୍ୟାୟ ରହିଛି l ଶ୍ଳୋକ ସଂଖ୍ୟା ପ୍ରାୟ ଛଅ ହଜାର l କୁହା ଯାଏ ଏଥିରେ ପ୍ରାୟ ଅଠର ହଜାର ଶ୍ଳୋକ ଥିଲା l ମାତ୍ର ଏବେ କେବଳ ଛଅ ହଜାର ଶ୍ଳୋକ ଉପଲବ୍ଧ l ଏଥିରେ ବ୍ରାହ୍ମସଂହିତା,ଭାଗବତସଂହିତା, ସୌରୀସଂହିତା ଓ ବୈଷ୍ଣବ ସଂହିତା ନାମକ ଚାରିଗୋଟି ସଂହିତା  ଥିଲା l ମାତ୍ର ବର୍ତ୍ତମାନ କେବଳ ବ୍ରାହ୍ମ ସଂହିତା ହିଁ ଉପଲବ୍ଧ l


18.ସ୍କନ୍ଧପୁରାଣ : ଅଷ୍ଟାଦଶ ପୁରାଣ ମଧ୍ୟରେ ସ୍କନ୍ଧ ପୁରାଣ ସର୍ବ ବୃହତ ପୁରାଣ l ଏଥିରେ ଏକାଅଶୀ ହଜାର ଶ୍ଳୋକ ଅଛି l ଏଣୁ କୁହାଯାଇଛି :- "ଏକାଶୀତି ସହସ୍ରନ୍ତୁ ସ୍କନ୍ଧମ୍ ସର୍ବାଘକୃନ୍ତକମ୍ "l


ଏହାର ବୈଷ୍ଣବ ଖଣ୍ଡ ବା ଉତ୍କଳ ଖଣ୍ଡରେ ବର୍ଣ୍ଣିତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଚରିତ,ଶବରରାଜ ବିଶ୍ୱାବସୁ, ବିଦ୍ୟାପତି ଓ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ  ଚରିତ,ରଥଯାତ୍ରା,ଶ୍ରୀକ୍ଷେତ୍ରର ବିଭିନ୍ନ ଯାନି ଯାତ୍ରା ଇତ୍ୟାଦି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଉତ୍କଳୀୟ ଧର୍ମୀୟ ପରମ୍ପରା ଦୃଷ୍ଟିରୁ ଏହା ବହୁ ତତ୍ତ୍ୱ ଓ ତଥ୍ୟ ପୂର୍ଣ୍ଣ l 

  

ବିଭିନ୍ନଦୃଷ୍ଟିରୁ ଆମ ପୁରାଣଗୁଡ଼ିକ ବହୁ ତାତ୍ପର୍ଯ୍ୟ ବହନ କରେ l ଭାରତୀୟ ସଭ୍ୟତାର ଇତିହାସ, ଐତିହ୍ୟ, ପରମ୍ପରା, ସଂସ୍କୃତି, ଭୂଗୋଳ,ସାହିତ୍ୟ,  ଓ ଦର୍ଶନ ଆଦି ବିଷୟକ ମୂଳ ଉତ୍ସ ଆମ ପୁରାଣ ସମଗ୍ର l ପୁରାଣ ଗୁଡିକର ଯଥାର୍ଥ ଅନୁଶୀଳନ ଓ ଗବେଷଣା ସର୍ବାଦୌ ଆବଶ୍ୟକ l


ଆମପାଖରେ ସମୟ ନାହିଁ କହି ଆମେ ମୂଳ ପୁରାଣ ନ ପଢି ଖାଲି ଅନ୍ୟମାନଙ୍କ ଟିପ୍ପଣୀ ବା ଉଦ୍ଧରଣକୁ ପଢି ମନରେ ଗୋଟାଏ ଭ୍ରାନ୍ତ ଅବଧାରଣା ତିଆରି କରିଦେଉ। କିନ୍ତୁ ଆମେ ବୁଦ୍ଧିଜୀବୀ। ମୂଳଶାସ୍ତ୍ର ବା ଗ୍ରନ୍ଥାଧ୍ଯୟନ ସାମର୍ଥ୍ୟ ଆମର ଅଛି। 

**************************

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍